ସାପ କାମୁଡିବା ଏବଂ ସାପ କାମୁଡ଼ାରେ ମୃତ୍ୟୁ ହେବା ଏକ ବଡ଼ ସମସ୍ୟା ପାଲଟିବାରେ ଲାଗିଛି ସାରା ଦେଶରେ। ଆମ ରାଜ୍ୟରେ ସାପ କାମୁଡିବା ଏବଂ ଏଥି ଜନିତ ହେଉଥିବା ମୃତ୍ୟୁ ସଂଖ୍ୟା ବହୁତ୍ ଅଧିକ। ତେବେ ଏଥିପ୍ରତି ସାବଧାନତା ଏବଂ ସଚେତନତା ରହିବା ନିହାତି ଆବଶ୍ୟକ। ତେବେ ଆପଣ ଜାଣିଛନ୍ତି ବିଷଧର ସାପ ମାନଙ୍କ କାମୁଡିବାରେ ମଣିଷର ମୃତ୍ୟୁ ଘଟିଥାଏ। କିନ୍ତୁ ସବୁ ସାପ କାମୁଡିବା ବିଷଧର ସାପ କାମୁଡା ନୁହେଁ। ଯଦିଓ ବିଭିନ୍ନ ପ୍ରକାର, ବିଭିନ୍ନ ପ୍ରଜାତିର ସାପ ରହିଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ୧୦ ରୁ ୧୫ ପ୍ରକାରର ସାପ ବହୁତ୍ ବିଷଧର ସାପ ଅଟନ୍ତି। ଯେଉଁ ମାନଙ୍କୁ ଆମେ ମୁଖ୍ୟତଃ ଦେଖୁ।ସେହି ସାପ ଗୁଡ଼ିକ ମଣିଷ ମାନଙ୍କ ପାଇଁ କ୍ଷତିକାରକ ଅଟେ।
ସାପ କାମୁଡ଼ିଲେ କଣ ଲକ୍ଷଣ ଦେଖାଯାଏ?
ପ୍ରାୟତଃ ୭୦ ରୁ ୮୦ ପ୍ରତିଶତ ସାପ କାମୁଡିବା ବିଷଧର ସାପ କାମୁଡିବା ନୁହଁ। ସବୁ ସାପ କାମୁଡ଼ିଲେ ଶରୀରରେ ବିଷ ପଶି ନଥାଏ। ଏହାଛଡା ଲକ୍ଷଣ ନିର୍ଭର କରେ ତା ଉପରେ ଯେ କେଉଁ ପ୍ରକାରର ବିଷ ରହିଛି, କେଉଁ ପ୍ରକାରର ସାପ କାମୁଡ଼ିଚି ଏବଂ କେତେ ପରିମାଣରେ ବିଷ ପ୍ରଵେଶ କରିଛି। ଯଦି ରାଗିଥିବା ସମୟରେ ସାପ କାମୁଡି ଥାଏ ତେବେ ଅଧିକ ପରିମାଣରେ ବିଷ ମଣିଷ ଶରୀରରେ ପ୍ରବେଶ କରିଥାଏ।ତେବେ ନ୍ୟୁରୋ ଟକ୍ସିକ ରହିଥିବା ମିକ୍ସ୍ ଭେରାଇଟି ର ସାପ କାମୁଡେ, ଯେମିତିକି ନାଗ ସାପ, ତାହେଲେ କାମୁଡିବା ସ୍ଥାନରେ ଦୁଇଟି ଚିହ୍ନ ଏକ ସେଣ୍ଟି ମିଟର ବ୍ୟବଧାନରେ ଦେଖାଯାଏ।
ଏହାଛଡା ସାପ କାମୁଡ଼ିଥିବା ସ୍ଥାନରେ ଟିକେ ଫୁଲା ଦେଖାଯାଏ। ବେଳେବେଳେ ସେହି ସ୍ଥାନରୁ ପାଣି ବାହାରି ଥାଏ ଓ ଗୋଡ଼ ଫୁଲିଯାଏ। ନ୍ୟୁରୋ ଟକ୍ସିକ ସାପ କାମୁଡ଼ିଲେ ସ୍ନାୟୁ ଦୁର୍ବଳତା ଭଳି ସମସ୍ୟା ଦେଖାଯାଏ। ଆଖି ଝାପସା ଦେଖାଯିବା, ବେକ ଦୁର୍ବଳ ଲାଗିବା, ମାଂସପେଶୀ ଦୁର୍ବଳ ଲାଗିବା, ପାରାଲାଇସିସ ହୋଇଯିବା ଭଳି ଅନେକ ସମସ୍ୟା ଦେଖାଦିଏ।
ସାପ କାମୁଡିଲେ ଚିକିତ୍ସା କଣ?
ସାପ କାମୁଡ଼ିଲେ ଆପଣ କୌଣସି ଅନ୍ଧ ବିଶ୍ବାସର ଶିକାର ନହୋଇ ଏହାର ଚିକିତ୍ସା କରନ୍ତୁ। ଯଥା ସମ୍ଭବ ଡାକ୍ତରଙ୍କ ପାଖକୁ ନେଇ ଚିକିତ୍ସା ରେ ନିୟୋଜିତ କରନ୍ତୁ। ଏହାଛଡା ସାପ କାମୁଡିବା ମାତ୍ରେ ବେଶୀ ଚଲାବୁଲା କରନ୍ତୁ ନାହିଁ, ହାତ ଗୋଡକୁ ହଲାନ୍ତୁ ନାହିଁ। କାମୁଡିଥିବା ସ୍ଥାନକୁ ସାବୁନ ରେ ଭଲ ଭାବରେ ଧୋଇ ଦିଅନ୍ତୁ। ବହୁତ୍ ଜୋରରେ ସାପ କାମୁଡିଥିବା ସ୍ଥାନର ଉପରେ ପଟି ବା ବାଣ୍ଡେଜ ବାନ୍ଧନ୍ତୁ ନାହିଁ। ରକ୍ତ ସଞ୍ଚାଳନ ଠିକ ଭାବେ ହୋଇ ନପାରି, ସେ ସ୍ଥାନରେ ବିଷର ପ୍ରଭାବ ଅଧିକ ହୋଇଥାଏ। ଏହାଛଡା ଚେଷ୍ଟା କରିବେ ଯଦି ଆପଣ ହଠାତ୍ ସାପଟିର ଫଟୋ ଉଠାଇ ପାରୁଛନ୍ତି। ତେବେ ଏହା କେଉଁ ଧରଣର ସାପ ଜାଣି ଚିକିତ୍ସା କରିବା ପାଇଁ ସୁବିଧା ହେବ।